କଟକ,୦୪/୦୨: କଟକ ମହାନଗର ନିଗମ(ସିଏମ୍ସି)ରେ ଓପନ୍ ଜିମ୍ ନିର୍ମାଣ ଆଳରେ ଜିମ୍ ଯନ୍ତ୍ରାଂଶ କିଣାରେ ହୋଇଛି ସାଂଘାତିକ ଘୋଟାଲା । ୨୦୨୨ ମସିହାରେ କିଣା ହୋଇଥିବା ଦେଢ଼ କୋଟିର ଜିମ୍ ଯନ୍ତ୍ରାଂଶର ମାତ୍ର ୪୦ ପ୍ରତିଶତ ବ୍ୟବହାର ହୋଇ ବାକି ୬୦ ପ୍ରତିଶତ ଖତ ଖାଉଛି । ସେଠାରେ ପୁଣି ୨୦୨୪ ମସିହାରେ କାର୍ଯ୍ୟାଦେଶ ଦେଇ ବର୍ଷକ ପରେ ଏବେ କିଣା ହେଉଛି ୫ କୋଟିର ଜିମ୍ ଯନ୍ତ୍ରାଂଶ । ତାହା ପୁଣି କାଉନ୍ସିଲ୍ ଓ ଷ୍ଟାଣ୍ଡିଂ କମିଟିର ବିନା ଅନୁମୋଦନରେ ସିଟି ଇଞ୍ଜିନିୟର୍ ତଥା ନଗର ଯନ୍ତ୍ରୀ ନିର୍ଦ୍ଦିଷ୍ଟ ସଂସ୍ଥାରୁ ୫ କୋଟିର ସାମଗ୍ରୀ କିଣିବାକୁ କାର୍ଯ୍ୟାଦେଶ ଦେଇଛନ୍ତି । ଯାହା ସରକାରୀ ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ନଗର ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ମୁଖ୍ୟ କଥା ହେଉଛି, ଏଭଳି ଅନିୟମିତତା ବାରମ୍ବାର ସାମ୍ନାକୁ ଆସୁଥିବାବେଳେ କାହା ଇଙ୍ଗୀତରେ କୋଟି କୋଟି ଟଙ୍କା ଅପବ୍ୟୟ ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସହରର ବିଭିନ୍ନ ପାର୍କ ଓ ଖୋଲା ସ୍ଥାନରେ ନିଗମ ପକ୍ଷରୁ ଜିମ୍ ଯନ୍ତ୍ରାଂଶ ଖଞ୍ଜାଯାଉଛି । ଏଥିପାଇଁ ନିଗମ ପ୍ରଥମେ ୨୦୨୨ ମସିହା ମେ ମାସରେ ଚିଠି ନମ୍ବର ୮୧୬୪ ଦ୍ୱାରା ନାଗପୁରର ରାଜ୍ ଇକ୍ୟୁପ୍ମେଣ୍ଟ୍ସ୍ରୁ ୧୧ ପ୍ରକାରର ସମୁଦାୟ ୧୬୫ଟି ଯନ୍ତ୍ରାଂଶ କିଣିଥିଲା । ଯାହାର ମୂଲ୍ୟ ଏକ କୋଟି ୪୮ ଲକ୍ଷ ଟଙ୍କା ରହିଥିଲା । ସଂସ୍ଥା ପକ୍ଷରୁ ୨୦୨୨ ଡିସେମ୍ବର ସୁଦ୍ଧା ମାତ୍ର ୪୦ ପ୍ରତିଶତ ସହରରେ ଲଗାଯାଇଥିଲା । ବାକି ୬୦ ପ୍ରତିଶତ ତଥା ୯୯ଟି ଯନ୍ତ୍ରାଂଶ ବର୍ତ୍ତମାନ ସୁଦ୍ଧା ସିଏମ୍ସି ଷ୍ଟୋର୍ ରୁମ୍ରେ ଖତ ଖାଉଛି । ଏଭଳି ସ୍ଥିତିରେ ସିଏମ୍ସି ନଗର ଯନ୍ତ୍ରୀ ଇଂ ଅତନୁ ସାମନ୍ତ କାଉନ୍ସିଲ୍ ବିନା ଅନୁମୋଦନରେ ପୁଣି ୨୦୨୪ ମସିହା ଫେବ୍ରୁଆରୀରେ ଚିଠି ନମ୍ବର ୧୩୯୧(ପିଡବ୍ଲୁ) ରେ ଉକ୍ତ ସଂସ୍ଥାକୁ ୫କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏଥିରେ ପୁଣି ୫୫୫ଟି ଯନ୍ତ୍ରାଂଶ ଦେବାକୁ କୁହାଯାଇଛି । ଯାହାର ମୂଲ୍ୟ ହେଉଛି ସମୁଦାୟ ୫କୋଟି ଟଙ୍କା ।
ଏହି କାର୍ଯ୍ୟାଦେଶ ବଳରେ ଅଳ୍ପ କିଛି ଯନ୍ତ୍ରାଂଶ ଆସିଛି । ଏଠାରେ ସବୁ ନିୟମକୁ ଦଳି ମକଚି ଦେଇ ନଗର ଯନ୍ତ୍ରୀ ଶ୍ରୀ ସାମନ୍ତ ୫ କୋଟି ଟଙ୍କାର କାର୍ଯ୍ୟାଦେଶ ଠିକା ସଂସ୍ଥାକୁ କିଭଳି ଦେଲେ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି । ସେହିପରି ସହରବାସୀଙ୍କ ପକ୍ଷରୁ ଭିଜିଲାନ୍ସରେ ନଗର ଯନ୍ତ୍ରୀ ଶ୍ରୀ ସାମନ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରୀ ଅର୍ଥକୁ ମନ ଇଚ୍ଛା ଖର୍ଚ୍ଚ ଉପରେ ରୋକ୍ ଲଗାଇବାକୁ ଅଭିଯୋଗ ପତ୍ରରେ ସହରବାସୀ ଦାବି କରିଛନ୍ତି ।